ଗୋପବନ୍ଧୁ ଦାସ
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ | |
---|---|
ଜନ୍ମ | ସୁଆଣ୍ଡୋ, ପୁରୀ | ୯ ଅକ୍ଟୋବର ୧୮୭୭
ମୃତ୍ୟୁ | ୧୭ ଜୁନ ୧୯୨୮ | (ବୟସ ୫୦)
ସତ୍ୟବାଦୀ | |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ସ୍ୱଦେଶହିତୈଷୀ, ପଣ୍ତିତ ଗୋପବନ୍ଧୁ [୧] |
ଶିକ୍ଷା | ଏମ. ଏ , ଏଲ୍. ଏଲ୍. ବି |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପ୍ରସିଦ୍ଧି | ସ୍ୱାଧୀନତା ସଂଗ୍ରାମୀ, କବି, 'ସମାଜ'ର ପ୍ରତିଷ୍ଠାତା |
ବୈବାହିକ-ସାଥୀ | ଅପତୀ ଦେବୀ |
ପିତାମାତା | ଦୈତାରି ଦାସ ସ୍ୱର୍ଣ୍ଣମୟୀ ଦେବୀ |
ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭–୧୭ ଜୁନ ୧୯୨୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଓଡ଼ିଆ-ଭାଷୀ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ନିମନ୍ତେ ସେ "ଉତ୍କଳମଣି" ନାମରେ ଜଣାଶୁଣା ।
ଜୀବନୀ
ପ୍ରାରମ୍ଭିକ ଜୀବନ
ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ଓଡ଼ିଶାର ପୁରୀ ଜିଲ୍ଲାସ୍ଥ��ତ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୈତାରି ଦାସ ଓ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ ଦେବୀ । ତାଙ୍କୁ ଖୁବ ଅଳ୍ପ ବୟସ ହୋଇଥିବା ବେଳେ ତାଙ୍କ ମାତାଙ୍କର ଦେହାନ୍ତ ହୋଇଯାଇଥିଲା । ସେ ପିଉସୀ କମଳା ଦେବୀଙ୍କଦ୍ୱାରା ଲାଳିତ ପାଳିତ ହୋଇଥିଲେ ।
ସ୍କୁଲ
ମାତାଙ୍କ ମୃତ୍ୟୁ ପରେ ସେ ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଶିକ୍ଷକ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହୋଇଥିଲା ଓ ତାଙ୍କଠାରୁ ପରେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ବାବଦରେ ଜାଣିଥିଲେ । ୧୨ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା ଓ ତା'ପରେ ସେ ପାଠପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ ।
ସମାଜସେବା
ଗୋପବନ୍ଧୁ ପୁରୀରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରିଥିଲେ । ଏହି ସଂଗଠନର ସାଥୀମାନଙ୍କ ସହ ସେ ରୋଗୀସେବା, ପରିବେଶ ପରିଚ୍ଛନ୍ନତା ଓ ଶବସଂସ୍କାର ଇତ୍ୟାଦି କାମ କରୁଥିଲେ ।[୨]
ଗୋପବନ୍ଧୁ ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ଅନ୍ୟତମ । ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ ତାଙ୍କ ନେତୃତ୍ୱରେ ପଞ୍ଚସଖା ମିଶି ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜ ତଳେ ୧୯୦୯ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୯ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ନେଇ ଆରମ୍ଭ ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା ।[୩] ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟିରେ ବିଦ୍ୟାଳୟ ତରଫରୁ ଚୁଡ଼ା, ଚାଉଳ ଆଦି ପ୍ରପୀଡ଼ିତ ଅଞ୍ଚଳରେ ବଣ୍ଟାଯାଇଥିଲା ।
କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଗୋପବନ୍ଧୁଙ୍କ ସମେତ ଅନେକ ଓଡ଼ିଆ ନେତା ଆନ୍ଦୋଳନ ଆରମ୍ଭ କରିଥିଲେ । ସେ କର୍ତ୍ତବ୍ୟ ବୋଧିନୀ ସମିତି ଗଠନ କରି ଓଡ଼ିଆ ଭାଷା ବିଲୋପର ପ୍ରତିବାଦ କରିଥିଲେ । ତାଙ୍କର ଆହ୍ୱାନ ଥିଲା "ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ" । ସେ ଓ ରାମଚନ୍ଦ୍ର ଦାଶ ରମ୍ଭାଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପରିଚାଳନା କରିଥିଲେ । ସେ ୧୯୦୩ରେ ମଧୁସୂଦନ ଦାସଙ୍କଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗନେଇଥିଲେ । ଏହି ଆନ୍ଦୋଳନ କ୍ରମେ ବଢ଼ି ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗକୁ ମୁହାଁଇଥିଲା ।
କଲେଜ
ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ ତାହାପରେ କଲିକତାରେ ବିଏଲ ପଢ଼ିଲେ । କଲିକତାରୁ ଫେରି ଗୋପବନ୍ଧୁ ଦାସ ବାଲେଶ୍ୱର ଜିଲ୍ଲାର ନୀଳଗିରିଠାରେ ଶିକ୍ଷକ ହୋଇଥିଲେ।[୪]
କଲିକତାରେ ଓଡ଼ିଆ ଶ୍ରମିକଙ୍କ ପାଇଁ କାର୍ଯ୍ୟ
କଲିକତାରେ ବିଏଲ ପଢ଼ିବା ସମୟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସହାୟତା ନିମନ୍ତେ ସେ ଓଡ଼ିଆ ଶ୍ରମିକ ସଂଘ ଓ ସାନ୍ଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
ପରିବାର
ମାତ୍ର ୧୨ ବର୍ଷ ବୟସରେ ସେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ୧୯୦୩ରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗ ନେଇ ଓଡ଼ିଆ ଭାଷା ଆନ୍ଦୋଳନରେ ଯୋଗଦାନ ସମୟରେ ତାଙ୍କର ପ୍ରଥମ ପୁତ୍ରଙ୍କର ମୃତ୍ୟୁ ଘଟିଥିଲା । କଲିକତାରେ ବିଏଲ ପଢ଼ୁଥିବା ବେଳେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏହା ପରେ ସେ ବିଏଲ ପାସ କରିବା ଦିନ ତାଙ୍କ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ସମାଜ ସମ୍ବାଦପତ୍ର
ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଭାରତୀୟ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସେ ୧୯୧୯ ଅକ୍ଟୋବର ମାସ ୪ ତାରିଖ ଦଶହରା ତିଥିରେ ସାପ୍ତାହିକ "ସମାଜ" ଖବରକାଗଜ ପ୍ରକାଶ କରିଥିଲେ ।[୫] ପ୍ରଥମେ ଏହା ୧୯୧୯ ମସିହାରେ ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ଶେଷରେ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । ସମାଜର ପ୍ରଥମ ସମ୍ପାଦକୀୟରେ ସେ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନାକରିଥିଲେ । ୧୯୩୦ରେ "ସମାଜ" 'ସାପ୍ତାହିକରୁ ଦୈନିକ ଖବରକାଗଜରେ ପରିଣତ ହୋଇଥିଲା । ଲୋକମାନଙ୍କ ଉପରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ସମାଜରେ ସମ୍ବାଦ ପ୍ରକାଶ କରିବା ପରେ ଇଂରେଜ ସରକାର ତାଙ୍କୁ ୧୯୨୨ ମସିହାରେ କାରାବଦ୍ଧ କରିଥିଲେ ।
ସାହିତ୍ୟ ରଚନା
କାରାଗାରରେ ଥିବା ବେଳେ ସେ "କାରାକବିତା" ଓ "ବନ୍ଦୀର ଆତ୍ମକଥା" ନାମରେ ଦୁଇଟି କାବ୍ୟଗ୍ରନ୍ଥ ରଚନା କରିଥିଲେ । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ "ଉତ୍କଳମଣି" ବୋଲି ସମ୍ବୋଧନ କରିଥିଲେ ।[୬] ସେଠାରେ ଉପସ୍ଥିତ ଜନତା କରତାଳି ମାଧ୍ୟମରେ ଏହି ଉପାଧୀକୁ ସ୍ୱୀକୃତି ଦେଇଥିଲେ ।
ଲୋକସେବକ ମଣ୍ଡଳରେ ସଦସ୍ୟତା
ଗୋପବନ୍ଧୁ ଦାସଙ୍କ ଦେଶସେବାରେ ଅବଦାନ ପାଇଁ ଲାଲା ଲାଜପତ ରାୟ ତାଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରୂପେ ଗ୍ରହଣକରିଥିଲେ । ପରେ ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ ।
ରାଜନୀତିରେ ଅଂଶଗ୍ରହଣ
ମଧୁସୂଦନ ଦାସଙ୍କ ପ୍ରେରଣାରୁ ସେ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ।
ମୃତ୍ୟୁ
୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ ଲାହୋର ଯିବା ବାଟରେ ସେ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଏହାପରେ ଧୀରେଧୀରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ୧୯୨୮ ମସିହା ଜୁନ ୧୭ ତାରିଖ ରବିବାର ସନ୍ଧ୍ୟା ୭ଟା ୨୫ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା ।[୭][୮] ମୃତ୍ୟୁର ଦୁଇ ଘଣ୍ଟା ଆଗରୁ ସେ ନିଜ ଇଚ୍ଛାପତ୍ରରେ ସମାଜ ଓ ସତ୍ୟବାଦୀ ପ୍ରେସର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ ।
ରଚନାବଳୀ
- ଅବକାଶ ଚିନ୍ତା (୧୮୯୯)
- କାରାକବିତା
- ବନ୍ଦୀର ଆତ୍ମକଥା
- ଧର୍ମପଦ
- ବ୍ରହ୍ମତତ୍ତ୍ବ ବା ନଚିକେତା ଉପାଖ୍ୟାନ
- ଗୋମାହାତ୍ମ୍ୟ
- ଓଡ଼ିଆର ଜାତୀୟତା (ପ୍ରବନ୍ଧ)
ଆଧାର
- ↑ ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 14 April 2013.
ସ୍ୱଦେଶହିତୈଷୀ ପଣ୍ତିତ ଗୋପବନ୍ଧୁ ଏହି ନାମରେ ପରିଚିତ ହୋଇଥିଲେ
[permanent dead link] - ↑ "ଓଡ଼ିଶାର କେତେକ ରଚନାତ୍ମକ ଅନୁଷ୍ଠାନ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 31 March 2020. Archived from the original on 27 September 2020. Retrieved 27 September 2020.
{{cite news}}
: CS1 maint: unrecognized language (link) - ↑ "An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu". academia.edu. 2012. Retrieved 20 June 2012.
Satyavadi was a uniqueexperimental school in the history of modern Orissa. Establishedby Gopabandhu Das (1877-1928),
- ↑ "UTKALAMANI PUNDIT GOPABANDHU DAS". 123orissa.com. Archived from the original on 3 October 2012. Retrieved 9 October 2012.
He passed his B.A from Revenshaw College in 1904 and later passed B.L. from Calcutta University in 1906.
- ↑ "Biography of Utkalmani Gopabandhu Das | Biography | Knowledge Hub". publishyourarticles.org. 2012. Retrieved 23 May 2012.
He started the newspaper Samaja
[permanent dead link] - ↑ Biswal, Chandra Sekhar. "UTKALAMANI PANDIT GOPABANDHU DAS". talentodisha.com. Retrieved 9 October 2012.
Acharya Prafulla Chandra Ray on 28.6.1924 the veteran scientist and patriot of Bengal assigned the title of Utkalamani, (Jewel of Utakala) to his name.
[permanent dead link] - ↑ "Utkalmani Gopabandhu Das". odisha360.com. 2009. Retrieved 23 May 2012.
He died on 17th June, 1928
- ↑ ଦୈନିକ ସମାଜ ୦୯/୧୦/୨୦୧୨ରେ ପ୍ରକାଶିତ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଲେଖା
ଅଧିକ ତଥ୍ୟ
- Gopabandhu in Orissa Review * September - October - 2006 e-magazine published by Govt. of Orissa
- Online version of 'The Samaja' Originally Founded by Utkalamani Gopabandhu Das in the year 1919
- Utkalamani Pundit Gopabandhu Das- a life history Archived 2011-08-29 at the Wayback Machine.